Banner Ad

ରହସ୍ୟରେ ରହିଗଲା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ

ରହସ୍ୟରେ ରହିଗଲା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ
Published by : Jyotshna Kumari
#Health & lifestyle
Aug 5, 2025, 7:25 AM

ଦ କୁଇଭର ବ୍ୟୁରୋ :- ଗତ ୧୯ ତାରିଖରେ ଘଟିଯାଇଥିବା ଘଟଣା, ପୁରୀ ବଳଙ୍ଗା ବାୟାବରରେ ନିଆଁରେ ଜଳିଯାଇଥିବା ପୀଡ଼ିତାଙ୍କ ଦେହାନ୍ତ ପରେ ସୋମବାର ନିଜ ପୈତୃକ ଗାଁରେ କବର ଦିଆଯାଇଛି । ୧୫ ଦିନର ଜୀବନ ମରଣ ସହ ଲଢ଼େଇ ଭିତରେ ହାରିଯାଇଛନ୍ତି ପୀଡ଼ିତା । କିନ୍ତୁ ତାଙ୍କ ମୃତ୍ୟୁ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି । କାରଣ ପୀଡ଼ିତାଙ୍କ ମାଆ ୩ ଜଣ ନିଆଁ ଲଗାଇଥିଲେ ବୋଲି ଦାବି କରିଥିଲେ । ପୀଡ଼ିତାଙ୍କ ଚିକିତ୍ସା ଠିକ ଭାବେ ଚାଲିଥିଲା । ତଦନ୍ତ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । କିନ୍ତୁ ହଠାତ୍ ମୃତ୍ୟୁ ଓ ପରେ ପୁଲିସର ସ୍ପଷ୍ଟୀକରଣ ଅନେକ ଦ୍ବନ୍ଦ୍ବ ସୃଷ୍ଟି କରିଛି । ସବୁ କିଛି ସନ୍ଦେହ ଘେରକୁ ଚାଲିଯାଇଛି । ପୁଲିସର ତଦନ୍ତ ଅନୁସାରେ, ଘଟଣାରେ କାହାର ସଂପୃକ୍ତି ନାହିଁ । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଅନେକ ସନ୍ଦେହ ସୃଷ୍ଟି କରିଥିବାବେଳେ ରାଜନୀତି କିନ୍ତୁ ଥମୁନାହିଁ । ଯୁବ କଂଗ୍ରେସ ପକ୍ଷରୁ ସୋମବାର ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ପିସିସି ସଭାପତି କହିଛନ୍ତି, ଘଟଣା ଉପରେ ରଙ୍ଗ ବୋଳାଯାଉଛି ।


ସେହିପରି ରବିବାର ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ମହିଳା ନେତ୍ରୀ ପ୍ରମିଳା ମଲ୍ଲିକ, ଟୁକୁନି ସାହୁ ଓ ଲେଖାଶ୍ରୀ ସାମନ୍ତ ସିଂହାର ସାମ୍ବାଦିକ ସମ୍ମିଳନୀ କରିବା ସହିତ ଏହି ପ୍ରସଙ୍ଗରେ ମୋହନ ସରକାର ଏବଂ ସମଗ୍ର ପ୍ରଶାସନ ଉପରେ ବହେ ବର୍ଷିଛନ୍ତି। ତେଣୁ ଆସନ୍ତା ୭ ତାରିଖରେ ବିଜେଡି ପୁରୀ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ହରତାଳ କରିବାକୁ ଘୋଷଣା କରିଛି । ତେବେ ପୁଲିସ ତଦନ୍ତ ଉପରେ ବିଜେଡି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସତ୍ୟ ସାମ୍ନାକୁ ନ ଆସିଲେ ଆନ୍ଦୋଳନ ଚେତାବନୀ ଦେଇଛି ଦଳ । ବିଜେପି ସରକାରଙ୍କର ନୂଆ ନାରା ହେଉଛି ବେଟି ପଢ଼ାଓ, ବେଟି ଜଳାଓ । ଏସବୁ କରିବା ପଛରେ ଦାୟୀ କିଏ...? କାହାକୁ ଘଣ୍ଟ ଘୋଡାଉଛି ବିଜେପି...? ଉପ ମୁଖ୍ୟମନ୍ତ୍ରୀଙ୍କ ସ୍ୱାମୀ କୁଆଡେ ପୀଡିତାଙ୍କ ପରିବାରକୁ ଅଜ୍ଞାତରେ ରଖିଥିଲେ, କହିପାରିବେ ଏହା ପଛରେ କାରଣ କ'ଣ..? ଉପ ମୁଖ୍ୟମନ୍ତ୍ରୀ ଜଣେ ନାରୀ ହୋଈ ମଧ୍ୟ ନାରୀ ବିରୋଧି କାର୍ଯ୍ୟ କିଭଳି କରୁଛନ୍ତି... ଯଦି ରାଜ୍ୟ ଶାସନ ଚଳାଇ ପାରୁନାହାନ୍ତି ତେବେ ଗାଦି ଛାଡିଦିଅନ୍ତୁ ବୋଲି କଡ଼ା ଭାଷାରେ ନିନ୍ଦା କରି ବର୍ଷିଛନ୍ତି ବିଜେଡି କର୍ମୀ....


ଏସବୁ ପରେ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠୁଛି, ପୀଡ଼ିତା କ’ଣ ନିଜ ଦେହରେ ନିଜେ ନିଆଁ ଲଗାଇଦେଇଥିଲେ କି ? ପୁଲିସ ସ୍ପଷ୍ଟୀକରଣ ପାଇଁ କାହିଁକି ୧୫ ଦିନ ଲାଗିଲା ? ଘଟଣାସ୍ଥଳରୁ ଜବତ ରୁପା ମୁଦି ଓ ଚୁଡ଼ି କାହାର ? କେଉଁ ଆଧାରରେ ପୀଡ଼ିତାଙ୍କ ମା’ ୩ ଜଣ ଦୁର୍ବୃତ୍ତ ତାଙ୍କ ଝିଅକୁ ନେଇ କିରୋସିନି ଢାଳି ନିଆଁ ଲଗାଇଦେଲେ ବୋଲି ଅଭିଯୋଗ ଆଣିଥିଲେ ? ଆଉ ପୋଲିସ ର ବୟାନ ଘଟଣାରେ କୁଆଡେ ଆଉ କାହାର ସମ୍ପୃକ୍ତି ନାହିଁ..... ଏସବୁ ପଛରେ ବିଚରା ଝିଅଟା ଦୁନିଆ ଛାଡିଦେଲା ସିନା, କିନ୍ତୁ ନ୍ୟାୟ ପାଇପାରିଲାଣି...... ଦେଖାଯାଉ ଆଉ କେତେ ନାରୀଙ୍କ ଏଭଳିଆ ଘଟଣା ପରେ ବିଜେପି ସରକାରଙ୍କ ଆଖି ଖୋଲୁଛି ବୋଲି, ସାଧାରଣରେ ଚର୍ଚ୍ଚା ହେଉଛି....

Leave a Comment

Comments

No comments yet.

Best Biofloc Fish Farming

ad
Read more

Education,State

ଏଫଏମ କଲେଜରେ ଛାତ୍ରୀ ଆତ୍ମହୁତି ଘଟଣା : ୨ ଛାତ୍ରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

Blog Thumbnail

ଦ କୁଇଭର ବ୍ୟୁରୋ :- ୨୦ ଦିନ ପରେ କ୍ରାଇମବ୍ରାଞ୍ଚର ଆକ୍ସନ । ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣାରେ ୨୦ ଦିନ ପରେ ଆକ୍ସନ ନେଇଛି କ୍ରାଇମବ୍ରାଞ୍ଚ । ଛାତ୍ରୀ ଆତ୍ମହୁତି ପଛରେ ଥିବା ମାଷ୍ଟର ମାଇଣ୍ଡ ୨ ଜଣ ଛାତ୍ରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ।ତା' ଭିତରୁ ଜଣେ ଏବିଭିପିର ରାଜ୍ୟ ସହ ସଂପାଦକ l ଛାତ୍ରୀ ମୃତ୍ୟୁ ଘଟଣାର ଷଡଯନ୍ତ୍ର ପଛରେ ଥିଲେ ଏହି ୨ଜଣ ଛାତ୍ରନେତା l ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ କଲେଜରେ ଲଢ଼େଇ କରୁଥିବା ବେଳେ ତାଙ୍କୁ ଜୀବନ ହାରିବା ପାଇଁ ଏହି ଦୁଇ ଛାତ୍ର ପ୍ରବର୍ତ୍ତାଇଥିଲେ ।ଛାତ୍ରୀ ଆତ୍ମହୁତି ବେଳେ ମୋବାଇଲ ଭିଡ଼ିଓ କରିବା ସହିତ ଜୀବନ ହାରିବା ଉଦ୍ୟମ ପାଇଁ ସହଯୋଗ କରିଥିଲେ l ଗିରଫ ୨ ଛାତ୍ର ହେଲେ ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତି ପ୍ରକାଶ ବିଶ୍ୱାଳ l ଜ୍ୟୋତି ପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଘଟଣା ଦିନ ନିଜେ ଆହତ ହୋଇଥିଲେ ।ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । ଏମାନଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି l ଶୁଭ୍ର ସମ୍ବିତ ନାୟକ ABVP ର ରାଜ୍ୟ ସହ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି ।

State

ବ୍ରହ୍ମପୁରରେ ଗୁଳି ଗର୍ଜନ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣୀବନ୍ଧ ସାହି ନିକଟରେ ଥିବା ଶାସ୍ତ୍ରୀ ନଗରର ଏସ. ରୁନା ଅଚାରୀ ନାମଙ୍କ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି। ଆହତ ବ୍ୟକ୍ତିମାନଙ୍କୁ ଏମକେସିଜି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ରୁନା ନିଜ ଘରେ ଥିବା ସମୟରେ କିଛି ବ୍ୟକ୍ତି ଘରେ ପଶି ତାଙ୍କୁ ଗୁଳିମାଡ଼ କରିଥିବା ଜଣାପଡିଛି। ମେଡିକାଲରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣ ବିବେକ ଏମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି l

State

ଆସୁଛି ଲଘୁଚାପ

Blog Thumbnail

ଦ କୁଇଭର ବ୍ୟୁରୋ :- ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ । ଆସନ୍ତା ୧୧ ତାରିଖ ବେଳେକୁ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି। ଅନ୍ୟପଟେ ୮ ତାରିଖ ତାରିଖ ଯାଏଁ ଅଧା ଓଡ଼ିଶାକୁ ୱାର୍ଣ୍ଣିଂ।ଆଜି ଓ ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୬ ତାରିଖ ଦିନ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦-୪୦କିମି ବେଗରେ ଝଟକା ପବନ ନେଇ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୭ ତାରିଖ ଦିନ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।



ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନକେନ୍ଦ୍ର । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

State

ବଳଙ୍ଗା ପୀଡ଼ିତାଙ୍କ ଆଜି ନିଜ ଗାଁରେ ହେବ ଶେଷକୃତ୍ୟ

Blog Thumbnail

ଦ କୁଇଭର ବ୍ୟୁରୋ :- ଶେଷଯାତ୍ରାରେ ବଳଙ୍ଗା ପୀଡ଼ିତା । ଆଜି ନିଜ ଗାଁରେ ହେବ ଶେଷକୃତ୍ୟ । ଦିଲ୍ଲୀରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୀଡ଼ିତାଙ୍କ ଗାଁ ବାୟାବରକୁ ମୃତଦେହ ନିଆଯାଇଛି । ସ୍ବତନ୍ତ୍ର କାରକେଡ ଜରିଆରେ କଡା ସୁରକ୍ଷାରେ ଭୁବନେଶ୍ବରୁ ବଳଙ୍ଗା ନିଆଯାଇଥିଲା । ଆଜି ସକାଳୁ ତାଙ୍କର ଶେଷକୃତ୍ୟ ହେବ ସହ ପୀଡ଼ିତାଙ୍କୁ କବର ଦିଆଯିବ । ହସ୍ପିଟାଲ ବେଡରେ ୧୫ଦିନ ଧରି ମୃତ୍ୟୁ ସହ ଲଢ଼େଇ କରି କରି ନାବାଳିକା ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଥମ ଦିନରୁ ତାଙ୍କୁ ତିନି ଜଣ ଜାଳି ଦେଇଥିବା ପୀଡ଼ିତା କହିଥିଲେ । ପୀଡ଼ିତାଙ୍କ ବୟାନ ଆଧାରରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ତିନି ଦୁବୃର୍ତ୍ତ ଝିଅର ମୁହଁରେ ରୁମାଲ ବାନ୍ଧି ଅଚେତ କରି କିରୋସିନ୍ ଢ଼ାଳି ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଦର୍ଶାଯାଇଥିଲା । ପୁଲିସ ସେହି ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଡିଜି ନିଜେ ଯାଇ ପରିବାର ଲୋକଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚୁରା କରିଥିଲେ । ଭୁବନେଶ୍ବର ଏମ୍ସରେ ମାଜିଷ୍ଟ୍ରେଟଙ୍କ ସାମନାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା । ତାପରେ ଦିଲ୍ଲୀ ଏମ୍ସରେ ତଦନ୍ତକାରୀ ପୁଲିସ ଅଧିକାରୀ ବୟାନ ରେକର୍ଡ କରିଥିଲେ । କିନ୍ତୁ ଏବେ ପୁଲିସ କହିଛି ଏହି ଘଟଣାରେ କାହାର ସମ୍ପୃକ୍ତି ଥିବା ଜଣାପଡିନାହିଁ । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

State

ଆଜି ଶ୍ରାବଣ ଶେଷ ସୋମବାର

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ଶ୍ରାବଣ ମାସର ଶେଷ ସୋମବାର, ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ସକାଳୁ ସକାଳୁ ଶୈବପୀଠରେ ଲାଗିଛି ଭକ୍ତଙ୍କ ଭିଡ । ଧାଡିରେ ଯାଇ ଶିବଲିଙ୍ଗରେ ଜଳାଭିଷେକ କରୁଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, କଟକର ଧବଳେଶ୍ବର, ନୀଳଗିରିର ପଞ୍ଚଲିଙ୍ଗେଶ୍ବର ଢେଙ୍କାନାଳର କପିଳାସ ମନ୍ଦିର ଆଦି ଶୈବାଳୟରେ ପାଣି ଢାଳୁଛନ୍ତି ଭକ୍ତ । ସବୁ ଶିବାଳୟରେ ଏଥିପାଇଁ ଖାସ ବ୍ୟବସ୍ଥା କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କର ଭିଡ଼ ଜମିଛି । ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ଚଳଚଞ୍ଚଳ ହୋଇ ଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ । ବାବା ଧବଳେଶ୍ୱରଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ । ସେହିପରି ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ ଭକ୍ତଙ୍କ ଭିଡ଼ ଲାଗିଛି । ଲିଙ୍ଗରାଜ ମନ୍ଦିର ବ୍ୟତିତ ଏକାମ୍ର କ୍ଷେତ୍ରର ଭାସ୍କରେଶ୍ୱର, ମେଘେଶ୍ୱର, ବ୍ରହ୍ମେଶ୍ୱର ଭଳି ଶିବାଳୟରେ ମଧ୍ୟ ସକାଳୁ ସକାଳୁ ଶ୍ରଦ୍ଧାଳୁ ଜଳଲାଗି କରୁଛନ୍ତି । ଢେଙ୍କାନାଳର କପିଳାସରେ ବି ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

State

ଖ୍ୟାତନାମା ଗାୟକ କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଜଳି

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସିଦ୍ଧାର୍ଥ ନଗର ମୁଖ୍ୟ ରାସ୍ତାସ୍ଥିତ ହିମାନୀ ସେଲିବ୍ରେସନରେ ପ୍ରଖ୍ୟାତ ସିନେ ଗାୟକ ସ୍ବର୍ଗତ କିଶୋର କୁମାର ଙ୍କ ସତାନବେତମ ଜନ୍ମଦିନରେ ଏକ ଶ୍ରଦ୍ଧାଞ୍ଜଳି ତଥା ସ୍ମୃତି ଚାରଣ ସଭା ଆୟୋଜନ କରାଯାଇଥିଲା।ଏହି ଅବସରରେ ପ୍ରତିଷ୍ଠିତ ଗାୟକ ମାନେ ଯୋଗ ଦେଇ କିଶୋର କୁମାର ଙ୍କ ସଙ୍ଗୀତ ଗାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସଭାପତି ଡ଼ା ଶଙ୍କର୍ଷଣ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଗାୟକ ସୁଦୀପ କୁମାର ସାହୁ ଯୋଗ ଦେଇଥିଲେ। ଇଞ୍ଜିନିୟର ଆଶୁତୋଷ ପାତ୍ର, ଉପସଭାପତି ତଥା ବରିଷ୍ଠ ଓକିଲ ମହେନ୍ଦ୍ର ନାଥ ସାହୁ, ଶ୍ୟାମ ସୁନ୍ଦର ଖାଡଙ୍ଗା, ଅରୁଣ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । କେନ୍ଦ୍ର ସଂପାଦକ ମହମଦ ଆସଲାମ ଏହି ଅବସରରେ ଅତିଥି ପରିଚୟ ପ୍ରଦାନ କରି ସ୍ୱର୍ଗତଃ କିଶୋର କୁମାର ଙ୍କ ସଙ୍ଗୀତ ଜୀବନୀ ସମ୍ପର୍କ ରେ ଆଲୋକ ପାତ କରିଥିଲେ । ଗାୟକ ମାୟାଧର ସାହୁ, ସୁନିର ବିଶ୍ୱାସ, ସତ୍ୟମ ଆଚାରି, ଚାନ୍ଦିନୀ ବଡ ମୁଣ୍ଡି , ରମେଶ ଚନ୍ଦ୍ର ସେଠୀ, ଅରୁଣ କୁମାର ପାତ୍ର, ବାବୁଲି ମହାରଣା, ସୁନୀଲ କୁମାର୍ ସାହୁଙ୍କ ସମେତ ବହୁ କଳାକାର ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସ୍ଵର୍ଗତ କିଶୋର କୁମାରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଅମର ଆତ୍ମାର ସଦଗତି କାମନା ଲାଗି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଯୁଗ୍ମ ସଂପାଦକ ପାର୍ବତୀ ପ୍ରସାଦ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

Politics,State

୪ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି

Blog Thumbnail

ଦ କୁଇଭର ବ୍ୟୁରୋ :- ବିଜେଡି ସୁପ୍ରିମୋ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସୋମବାର ୪ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଗଞ୍ଜାମ, କେନ୍ଦ୍ରାପଡା, କଳାହାଣ୍ଡି ଓ କଟକ ଜିଲ୍ଲାର ବିଜେଡି ସଭାପତିଙ୍କ ନାଁ ଘୋଷଣା ହୋଇଛି। ଗଞ୍ଜାମ ଜିଲ୍ଲାର ବିଜେଡି ସଭାପତି ଭାବେ ବିକ୍ରମ କୁମାର ପଣ୍ଡା ନିୟୋଜିତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ସଭାପତି ଭାବେ ଶିବ ପ୍ରସାଦ ଭୋଳ, ସେହିପରି କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ପ୍ରଦୀପ ଦିଶାରୀ ହୋଇଥିବା ବେଳେ କଟକ ଜିଲ୍ଲା ସଭାପତି ହୋଇଛନ୍ତି ପ୍ରଫୁଲ୍ଲ ସିଂହ । ପୂର୍ବରୁ ବିଜେଡି ସୁପ୍ରିମୋ ୨୪ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଥିଲେ। ଆଜି ଏହି ୪ ଟି ଜିଲ୍ଲାର ନାମ ଘୋଷଣା କରିଥିବା ବେଳେ ଆଗକୁ ବଳକା ୫ଟି ଜିଲ୍ଲାର ସଭାପତି ନାଁ ଘୋଷଣା ହେବାକୁ ବାକି ରହିଛି। ସେହିପରି ବିଜେଡିର ସାଙ୍ଗଠନିକ ନିର୍ବାଚନ ପରେ ବିଜୁ ଜନତା ଦଳର ଛାତ୍ର, ଯୁବ ଓ ମହିଳା ସଙ୍ଗଠନର ସଭାପତିଙ୍କ ନାଁ ଘୋଷଣା ହେବ।



Politics,State

ବିଜେଡିର ଆରୋପରେ ବିଜେପିର ତଥ୍ୟଭିତ୍ତିକ ପ୍ରତ୍ୟାରୋପ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଗତ କିଛି ଦିନ ଜିଲ୍ଲା ତଥା ରାଜ୍ୟରେ ଯେଉଁ ପ୍ରକାର ଘଟଣା, ଦୁର୍ଘଟଣା ମାନ ଘଟିଚାଲିଛି, ସେଥିପାଇଁ ବିଜେଡି ଭାରତୀୟ ଜନତା ପାର୍ଟିର ସରକାର ତଥା କର୍ମୀମାନଙ୍କୁ ଦୋଷାରୋପ କରୁଥିଲେ ଯାହାର ଉତ୍ତରରେ ଆଜି ଏକ "ସାମ୍ବାଦିକ ସମ୍ମିଳନୀ" ବ୍ରହ୍ମପୁର ହିଲପାଟଣା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି "ସାମ୍ବାଦିକ ସମ୍ମିଳନୀରେ" ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ଵରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ବିଜେପି ନେତା ତଥା ବରିଷ୍ଠ ଆଇନଜିବୀ ପୀତବାସ ପଣ୍ଡା,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ ।


ତେବେ ଗତ ୨୯ ତାରିଖ ଦିନ ଗୋଳନ୍ଥରା ଚଟି ଛକ ନିକଟରେ ଘଟିଥିବା ଏକ ଦୁର୍ଘଟଣାକୁ ବିଜୁ ଜନତା ଦଳର ନେତା ଭୃଗୁ ବକ୍ସିପାତ୍ର ଓ ଲେଲିନ ମହାନ୍ତି ଯେଉଁପରି ଭାବରେ ତାକୁ ଅତି ରଞ୍ଜିତ କରି ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡି ପଡ଼ିଛି, ମନ୍ତ୍ରୀଙ୍କୁ ଏହି ଘଟଣାରେ ଟାଣି ଓଟାରି ସଂପୃକ୍ତ କରିବା ଓ ଦୁଇ ଯୁବ ଆଇନଜୀବୀଙ୍କୁ ଦୁର୍ବୁତ୍ତ ବୋଲି ଗତକାଲିର "ସାମ୍ବାଦିକ ସମ୍ମିଳନୀରେ" କହିବା ବିଜୁ ଜନତା ଦଳର ରାଜନୈତିକ ଦେବାଳିଆ ପଣକୁ ସ୍ପଷ୍ଟ ଇଙ୍ଗିତ କରୁଛି । ଗତ ଜୁଲାଇ ୨୯ ତାରିଖ ଅପରାହ୍ନ ୪ ଘଣ୍ଟ ସମୟରେ ଏକ କାର୍ ଅତି ଦୃତ ଗତିରେ ଆଇନଜୀବୀ ଅଜିତ୍ କରଙ୍କ ମାଁ, ଯିଏ କି ନିଜ ଘର ସମ୍ମୁଖରେ ଛିଡ଼ା ହୋଇଥିଲେ ତାଙ୍କ ଉପରକୁ ମାଡ଼ି ଆସିବାରୁ ସେ ଉକ୍ତ କାର୍ ଧକ୍କାରେ ଛିଟିକି ପଡିଗଲେ । ଏହି ଘଟଣାକୁ ନେଇ ଆଇନଜୀବୀ ଅଜିତ୍ କର ଓ ତାଙ୍କ ମାଁ ନନ୍ଦିନୀ କର ପ୍ରତିବାଦ କରିବାରୁ କାର୍ ରେ ବସିଥିବା ଚାରି ଜଣ ବ୍ୟକ୍ତି ଓ ପଛରେ ଅନ୍ୟ ଏକ କାର୍ ରେ ବସିଥ‌ିବା ଛଅ ଜଣ ମହିଳା ମିଶି ଆଇନଜୀବି ଅଜିତ୍ କର ଓ ତାଙ୍କ ମାଁଙ୍କୁ ଆକ୍ରମଣ କରିଥିଲେ, ଯାହାକି ସ୍ଥାନୀୟ ଗୋଳନ୍ଥରା ଥାନାରେ ଏତଲା ମଧ୍ୟ ହୋଇଛି । ଘଟଣାର ପରବର୍ତି ପର୍ଯ୍ୟାୟରେ ସ୍ଥାନୀୟ ଓ ରାସ୍ତାରେ ଯାଉ ଥିବା ଲୋକମାନେ ଏକାଠି ହୋଇ ଏହାର ପ୍ରତିବାଦ କରିଥିଲେ । ଯାହା ଫଳରେ ଜଣେ ଯୁବକ ଆହତ ହୋଇଥିବା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଅପରାଧୀଙ୍କୁ ଗତ ଚବିଶ ବର୍ଷ ଧରି ଯେଉଁ ମାନେ ସୁରକ୍ଷା ଦେଇଥିଲେ, ଗତ ନିର୍ବାଚନ ସମୟରେ ରକ୍ତମୁଖା ହୋଇ ବିଜେପି କର୍ମୀ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ଜିଲ୍ଲାବାସୀ ଭୁଲି ନାହାଁନ୍ତି । ଲୋଚାପଡ଼ା, ହୁଗୁଳାପଟା, କନିସି, ଗୋଳନ୍ଥରା ଗାଁ ମାନଙ୍କରେ ସଶସ୍ତ୍ର ବିଜେଡ଼ି ନେତା ଓ କର୍ମୀ ମାନଙ୍କର ଆକ୍ରମଣ ଘଟଣା ଗୋପାଳପୁରବାସୀ ତଥା ଜିଲ୍ଲାବାସୀ ମନେ ରଖିଛନ୍ତି । ଏହି ପରୀପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀଙ୍କ ଉପରେ ଯେଉଁ କଟୁ ମନ୍ତବ୍ୟ ବିଜେଡ଼ି ନେତା ମାନେ ଦେଇଛନ୍ତି ତାକୁ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ସୂର୍ଯ୍ୟ ଯେପରି ସ୍ବଚ୍ଚ ଓ ନିର୍ମଳ, ମାନ୍ୟବର ମନ୍ତ୍ରୀ ସେହିପରି ସ୍ବଚ୍ଚ ନିର୍ମଳ । ରାଜ୍ୟରେ ମୋହନ ମାଝୀ ସରକାରଙ୍କ ଜନମୁଖି କାର୍ଯ୍ୟକୁ ସହ୍ୟ ନ କରି ପାରି ଓ ଗତ ନିର୍ବାଚନରେ ପରାଜୟର ଗ୍ଲାନିକୁ ଭୁଲି ନ ପାରି ବିଜୁ ଜନତା ଦଳର ନେତା ମାନେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ବରିଷ୍ଠ ନେତା ପୀତବାସ ପଣ୍ଡା କହିଛନ୍ତି । ଏହା ସହ କିଛି ଘଟଣାକୁ ଅତିରଞ୍ଜିତ କରି ସାଧାରଣ ଲୋକଙ୍କୁ ଭୁଆଁ ବୁଲେଇବାକୁ ବିଜେଡ଼ି ନେତା ଚେଷ୍ଟା କରୁଛନ୍ତି, ସେମାନେ ଏଥିରେ କେବେ ହେଲେ ସଫଳ ହେବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି ।


ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନ ନିକଟରେ ଗଣ୍ଡଗୋଳ ହୋଇଥିବା ଘଟଣା ମଧ୍ଯ ସମ୍ପୂର୍ଣ୍ଣ ମିଥ୍ୟା ଅଟେ ଏବଂ ଗଞ୍ଜାମ ଓକିଲ ସଂଘ ଅଭିଯୁକ୍ତ ମାନଙ୍କ ପାଇଁ ନ ଲଢ଼ିବା କଥା ଯେଉଁ ବିଜୁ ଜନତା ଦଳ ପକ୍ଷରୁ ପ୍ରେସ୍ ନୋଟରେ କୁହା ଯାଇଛି ସେଥିରେ ମଧ୍ୟ କୌଣସି ସତ୍ୟତା ନାହିଁ ବରଂ ଏହି ଘଟଣାରେ ଦୁଇ ଜଣ ଯୁବ ଆଇନଜୀବୀଙ୍କୁ ମିଥ୍ୟାରେ ସଂପୃକ୍ତି କରାଯାଇଛି । ବିଜୁ ଜନତା ଦଳ ତାଙ୍କ ନିଜର ଅନ୍ତର୍କଦଳ ଲୁଚାଇବାକୁ ଯାଇ ଏଭଳି ମିଥ୍ୟା ଆରୋପ କରୁଛି । ଏଣୁ ବିଜୁ ଜନତା ଦଳର ନେତା ମାନେ ସତ୍ୟକୁ କେତେ ବିଦ୍ରୁପ କଲେ ମଧ୍ୟ ଏଥିରେ ସଫଳ ହୋଇପାରିବେ ନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି କହିଛନ୍ତି । ଆଜିର ଏହି "ସାମ୍ବାଦିକ ସମ୍ମିଳନୀକୁ' ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Education,State

ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ : ମୁଖ୍ୟମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରୁ ଜଣାଯାଇଛିଯେ, ପ୍ରଥମ ପର୍ଯ୍ୟାୟରେ ୮୩୫ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ । ଏହି ବିଦ୍ୟାଳୟ ଗୁଡିକ ରାଜ୍ୟର ଉଚ୍ଚ ବିଦ୍ୟାଳୟ ପାଇଁ ଏକ ଫିଡର ସ୍କୁଲ ଭାବରେ କାର୍ଯ୍ୟ କରିବ । ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୭ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଅଟକଳ ରଖା ଯାଇଛି ।ଯେଉଁ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବେ, ୨ ଏକରରୁ ଅଧିକ ଜମି ଉପଲବ୍ଧ ହେଉଥିବ, ଏବଂ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେଉଥିବ, ସେହି ସ୍କୁଲଗୁଡିକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ନିର୍ମାଣ କରାଯିବ।ବୈଠକରେ ମୁଖ୍ୟମନ୍ତ୍ରୀ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ହେଡକ୍ୱାର୍ଟର୍ସରେ ଭୌଗୋଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି ଗୋଟିଏ ଲେଖାଏଁ ଆଦର୍ଶ ସ୍କୁଲ ନିର୍ମାଣ କରାଯିବ ଏବଂ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରେ ଜାତୀୟ ସ୍ତରୀୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବା ଏବଂ ଛାତ୍ରଛାତ୍ରୀଙ୍କ ଯିବା ଆସିବା ସୁବିଧା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ଦୁର୍ଗମ ଓ ଦୂର ଅଂଚଳରେ ରହୁଥିବା ପିଲାଙ୍କ ଯିବା ଆସିବା ପାଇଁ ମାଗଣାରେ ପରିବହନ ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।


ପର୍ଯ୍ୟାପ୍ତ ଜମି ଥିବା ସ୍କୁଲଗୁଡ଼ିକୁ ଚୟନ କରାଯାଇ, ଭବିଷ୍ୟତରେ ହାଇସ୍କୁଲ ସ୍ତରକୁ ଅପଗ୍ରେଡ୍ ପାଇଁ ଏହାକୁ ଉନ୍ନତିକରଣ କରାଯିବ, ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷା ଫଳାଫଳକୁ ଉନ୍ନତ କରିବା ଏବଂ ଶିକ୍ଷକ ଚୟନ ପ୍ରକ୍ରିୟାରେ ଉନ୍ନତ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଭିତ୍ତିଭୂମିରେ ଉନ୍ନତି ଆଣିବା, ଆଧୁନିକ ଶିକ୍ଷାଦାନ ପଦ୍ଧତି ଗ୍ରହଣ କରିବା ଏବଂ ଅଭିଭାବକ, ପୂର୍ବତନ ଛାତ୍ର ଏବଂ ସ୍ଥାନୀୟ ଅଂଶୀଦାରଙ୍କ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବା ଜାତୀୟ ଶିକ୍ଷା ନୀତି ୨୦୨୦( NEΡ 2020 ) ସହିତ ସମନ୍ୱୟ ରଖି, ତୃତୀୟ ଶ୍ରେଣୀ ସୁଦ୍ଧା ମୌଳିକ ଶିକ୍ଷାଗତ ଦକ୍ଷତା ହାସଲ କରିବା ପାଇଁ ମୂଳଦୁଆ ସାକ୍ଷରତା ଏବଂ ସଂଖ୍ୟାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।ଏହି ବିଦ୍ୟାଳୟ ଗୁଡିକରେ STEM (Science, Technology, Engineering, and Mathematics) ପଦ୍ଧତିରେ ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଶିକ୍ଷା ସହ ବୃତ୍ତିଗତ ଦକ୍ଷତା ଓ ଅଭିଜ୍ଞତାମୂଳକ ଶିକ୍ଷା ସମେତ ବହୁବିଧ ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ଛାତ୍ରଙ୍କ ସର୍ବାଙ୍ଗୀନ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ସୃଜନଶୀଳତା, ସମାଲୋଚନାମୂଳକ ଚିନ୍ତାଧାରା ଏବଂ ଜୀବନ କୌଶଳକୁ ଉତ୍ସାହିତ କରିବା ପାଇଁ ରାଜ୍ୟସରକାରଙ୍କ ପ୍ରୟାସ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା ।


ଉକ୍ତ ବୈଠକରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ସ୍କୁଲ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ, ଶାଳିନୀ ପଣ୍ଡିତ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଯାମିନୀ ଷଡ଼ଙ୍ଗୀ, ଓସେପା ନିର୍ଦ୍ଦେଶିକା, ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

State

ପୋଲିସ ଷ୍ଟେସନ ପରିଦର୍ଶନ କରିଲେ ସ୍କୁଲପିଲେ

Blog Thumbnail

ବ୍ରହ୍ମପୁର( ଦ କୁଇଭର):- ଜରଡା ଥାନାର ସମ୍ପୃକ୍ତ ଆଇଆଇସି ଟୁନା ସାସମଲ, ଗୋସାନିନୁଗାଁ ଥାନା ଡିଏସ୍ପି ସ୍ମୃତି ଏବଂ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ସୌଭାଗ୍ୟ ସ୍ୱାଇଁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବ୍ରହ୍ମପୁର ପୋଲିସ ଷ୍ଟେସନ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଥିଲେ। ସ୍କୁଲ ପିଲାମାନେ ପୋଲିସ ଷ୍ଟେସନ ପରିଦର୍ଶନ କରିଥିଲେ ଏବଂ ପୋଲିସ ଷ୍ଟେସନରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କୁ ପୋଲିସର କାର୍ଯ୍ୟପନ୍ଥା, ନୂତନ ଫୌଜଦାରୀ ଆଇନ ବିଷୟରେ ଶିକ୍ଷା ଦିଆଯାଇଥିଲା। ସେମାନଙ୍କ ପରିଦର୍ଶନ ପରେ, ଛାତ୍ରଛାତ୍ରୀମାନେ ଆଇଆଇସି ଏବଂ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ପ୍ରଶ୍ନ ପଚାରି ସେମାନଙ୍କର ସନ୍ଦେହକୁ ସ୍ପଷ୍ଟ କରିଥିଲେ। ଏହି କାର୍ଯ୍ୟକ୍ରମ ପୋଲିସ ବ୍ୟବସ୍ଥା ପ୍ରତି ଛାତ୍ରଛାତ୍ରୀମାନଙ୍କର ବିଶ୍ୱାସକୁ ସୁନିଶ୍ଚିତ କରିବ ଏବଂ ସେମାନଙ୍କ କ୍ୟାରିୟରର ପସନ୍ଦ ଭାବରେ ପୋଲିସରେ ଯୋଗଦେବାକୁ ଉତ୍ସାହିତ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l

State

ପୁଲିସ ପଞ୍ଝାରେ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌

Blog Thumbnail

ଦ କୁଇଭର ବ୍ୟୁରୋ :- ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜର ଟାର୍ଗେଟ୍‌ କରୁଥିଲେ। ଟ୍ରେନ୍‌ରେ ଆସି କିଛିଦିନ ଡେରା ପକାଇ ଲୁଟ୍‌ ପାଇଁ ଯୋଜନା କରୁଥିଲେ। ଲୁଟିବା ପରେ ଫ୍ଲାଇଟ୍‌ରେ ଅନ୍ୟ ରାଜ୍ୟକୁ ଚାଲିଯାଉଥିଲେ। ଏଭଳି ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌କୁ ଭୁବନେଶ୍ବର କମିସନରେଟ୍‌ ପୁଲିସ ଠାବ କରିଛି। ତେବେ ଦିଲ୍ଲୀରୁ ଗ୍ୟାଙ୍ଗର ୨ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ଦିଲ୍ଲୀ ସୁନ୍ଦରନଗରୀ ଅଞ୍ଚଳର ଖୁର୍ସିଦ ଖାନ୍ଓ ସୀମାପୁରୀ ଅଞ୍ଚଳର ମହମ୍ମଦ ଆରିଫ l ପୁଲିସ ସେମାନଙ୍କ ନିକଟରୁ ନଗଦ ୧୮ଲକ୍ଷ ଟଙ୍କା ଓ ଲୁଟ୍‌ରେ ବ୍ୟବହୃତ ଯନ୍ତ୍ରପାତି ଜବତ କରିଛି। ତେବେ ଏହି ଗ୍ୟାଙ୍ଗ୍‌ କେବେଠାରୁ ଭୁବନେଶ୍ବରରେ ସକ୍ରିୟ ଥିଲା ଓ ସେମାନେ କିଭଳି ଲୁଟ୍‌ପାଟ କରି ପୁଲିସକୁ ଚକ୍‌ମା ଦେଇ ଖସିଯାଉଥିଲେ, ସେ ରହସ୍ୟ ଉନ୍ମୋଚିତ ହୋଇଛି। ଆଜି ପୁଲିସ ସେବାଭବନରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଲୁଟେରା ଗ୍ୟାଙ୍ଗ୍‌ର ଗୁମର ଖୋଲିଛନ୍ତି।

Sports,Education,State

ରାଜ୍ୟ ସ୍ତରୀୟ ତାଇକୋଣ୍ଡ ପ୍ରତିଯୋଗିତାରେ ଛାତ୍ରୀ ମାନଙ୍କ ସଫଳତା

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଖେଲୋ ଇଣ୍ଡିଆ ଦ୍ବାରା ଭଦ୍ରକ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ତାଇକୋଣ୍ଡ ପ୍ରତି ଯୋଗିତାରେ ବ୍ରହ୍ମପୁର ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ର ଛାତ୍ରୀ ମାନେ ସଫଳତା ଅର୍ଜନ କରିଛନ୍ତି । ଏଥିଲାଗି ସମସ୍ତ ଛାତ୍ରୀ ମାନଙ୍କୁ ସ୍କୁଲ ଚେୟାରମାନ ଅଧ୍ୟକ୍ଷ କେ. ସି.ପଣ୍ଡା , ନିର୍ଦ୍ଦେଶକ କୁନାଲ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା ଓ ଆମ୍ବପୁଆ ସ୍କୁଲ ଅଧ୍ୟକ୍ଷା ଉଷା ପଟ୍ଟନାୟକ ଶୁଭକାମନା ସହ ଶୁଭେଛା ଜଣାଇଛନ୍ତି । ଏହି ପ୍ରତି ଯୋଗିତାରେ ଜାଭିୟର୍ସ ସ୍କୁଲ ର ୧୧ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ଛାତ୍ରୀ ୮ଟି କାଂସ୍ୟ ପଦକ ହାସଲ କରି ସ୍କୁଲ ର ଗୌରବ ବୃଦ୍ଧି କରିଛନ୍ତି । ତେଜଲ୍ ପାଣିଗ୍ରାହୀ ୨ଟି କାଂସ୍ୟ, ସୁଧାମୟୀ ପାଢ଼ୀ ୨ଟି କାଂସ୍ୟ, ସିମ୍ରନ୍ ଗୌଡ଼ , ଡି. ଅଖିଳ, ସସ୍ମିତା, ସମିତା ପ୍ରମୁଖ ଗୋଟିଏ ଗୋଟିଏ କାଂସ୍ୟ ପଦକ ହାସଲ କରି ଏପରି ସଫଳତା ହାସଲ କରିଛନ୍ତି । କୋଚ କିରଣ ନାୟକ ଛାତ୍ରୀ ମାନଙ୍କୁ ତାଲିମ୍ ଦେଇଥିଲେ। ଛାତ୍ରୀ ମାନଙ୍କ ସଫଳତା ଲାଗି ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖୁସି ଅନୁଭବ କରିବା ସହ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

State,Politics

ବିକ୍ରମ କୁମାର ପଣ୍ଡା ହେଲେ ଗଞ୍ଜାମ ଜିଲା ବିଜେଡ଼ି ସଭାପତି

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ହେଲେ ଗଞ୍ଜାମ ଜିଲା ବିଜେଡ଼ି ସଭାପତି l ଏନେଇ ଵିଧି ବଦ୍ଧ ଭାବେ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l

State

ଦ୍ବିତୀୟ ଥର ପାଇଁ ଗିରଫ ଅଧ୍ୟକ୍ଷଙ୍କ ବେଲ୍ ଆବେଦନ ଖାରଜ

Blog Thumbnail

ଦ କୁଇଭର ବ୍ୟୁରୋ : ଏଫ୍ଏମ କଲେଜ ଛାତ୍ରୀ ଜୀବନ ହାରିବା ଘଟଣା । ଗିରଫ ଅଧ୍ୟକ୍ଷଙ୍କ ବେଲ୍ ଆବେଦନ ଖାରଜ । ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନିଲମ୍ବିତ ତଥା ଗିରଫ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ଆଜି ଜାମିନ ଆବେଦନ ଶୁଣାଣି ଖାରଜ ହୋଇଛି । ଏହି ଆବେଦନକୁ ଏସ୍ ଡି ଜେ ଏମ୍ କୋର୍ଟ ଖାରଛ କରିଛନ୍ତି । ତାଙ୍କର ଏହା ଦ୍ବିତୀୟ ଥର ପାଇଁ ୧୪ ଦିନ ଅବଧି ଖାରଜ ହୋଇଛି । ତାଙ୍କର ବେଲ୍ କୁ ଏସ୍ ଡି ଜେ ଏମ୍ କିଶୋର କୁମାର ନାଥ ଖାରଜ କରିଛନ୍ତି ।


ସୂଚନା ଅନୁସାରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ବିଏଡ୍ ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ନ୍ୟାୟ ନପାଇ ଘଟଣା ସବୁଠି ଚର୍ଚ୍ଚା ସୃଷ୍ଟି କରିଥିଲା । ଛାତ୍ରୀ ନ୍ଯାୟ ନପାଇବାରୁ ଜୁଲାଇ ମାସ ୧୨ ତାରିଖରେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜକୁ ନିଆଁ ଲଗାଇ ଜୀବନ ହରିବାକୁ ଉଦ୍ୟମ କରିଥିଲେ। ପରବର୍ତ୍ତୀ ସମୟରେ ଛାତ୍ରୀ ଜଣକ ମୃତ୍ୟ ବରଣ କରିଥିଲେ। ତେବେ ଏହି ଘଟଣା ଘଟିବା ଦିନ ହେଚୋଡି ସମୀର ସାହୁଙ୍କୁ ଗିରଫ କରାଯାଇ ନିଲମ୍ବନ କରାଯାଇଥିଲା । ପରେ କଲେଜ ଅଧ୍ୟକ୍ଷଙ୍କୁ ନିଲମ୍ବନ ସହ ଗିରଫ କରାଯାଇଥିଲା । ଗିରଫ ଅଧ୍ୟକ୍ଷଙ୍କ ଦୁଇ ଥର ଜାମିନ ଖାରଜ କରାଯାଇଛି । ଅନ୍ୟପଟେ ଆଜି ସମୀରଙ୍କ ଦ୍ବିତୀୟ ଥର ପାଇଁ ଜାମିନ ଆବେଦନ ଶୁଣାଣି ରହିଛି ବୋଲି ଜଣାପଡିଛି

National,State

ଗ୍ରାନାଇଟ ଖଣିରେ ୬ ଓଡ଼ିଆ ଶ୍ରମିକ ମୃତ, ୧୦ରୁ ଉର୍ଦ୍ଧ ଗୁରୁତର

Blog Thumbnail

ଦ କୁଇଭର ବ୍ୟୁରୋ :- ଆନ୍ଧ୍ରପ୍ରଦେଶ ଗ୍ରାନାଇଟ ଖଣିରେ ବଡ଼ ଅଘଟଣ । ଭୟଙ୍କର ଦୁର୍ଘଟଣାରେ ୬ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବାଲିକୁରାଭା ନିକଟସ୍ଥ ସତ୍ୟକୃଷ୍ଣ ଗ୍ରାନାଇଟ ଖଣିରେ ଏକ ବଡ଼ ପଥର ଖଣ୍ଡ ଧସେଇ ଖସିପଡ଼ିବା ଫଳରେ ଏହି ଅଘଟଣ ଘଟିଛି । ମୃତକ ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ୪ଜଣ ଶ୍ରମିକ ଓ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ୨ ଜଣ ଶ୍ରମିକ ବୋଲି ଜଣାପଡିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସୂଚନା ଅନୁସାରେ,ଆନ୍ଧ୍ରପ୍ରଦେଶ ବାପତଲା ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଓଡ଼ିଶାର କିଛି ଶ୍ରମିକ ଗତ ୩ ମାସ ଧରି ବାଲିକୁରାଭା ନିକଟସ୍ଥ ସତ୍ୟକୃଷ୍ଣ ଗ୍ରାନାଇଟ୍ ଖଣିରେ କାମ କରୁଥିଲେ । ଆଜି ସକାଳେ ପାଖାପାଖି ୧୬-୨୦ ଜଣ ଶ୍ରମିକ କାମ କରିବାକୁ ଯାଇଥିଲେ । ମଧ୍ୟାହ୍ନ ଭୋଜନ ପରେ ଖଣିରେ ବିସ୍ଫୋରଣ ପାଇଁ ଜେଲାଟିନ୍ ଷ୍ଟିକ୍ ସ୍ଥାପନ କରୁଥିବା ସମୟରେ ଦୁର୍ଘଟଣାବଶତଃ ଉପରୁ ଏକ ଗ୍ରାନାଇଟ୍ ପଥର ଶ୍ରମିକମାନଙ୍କ ଉପରେ ପଡ଼ିଥିଲା । ପଥର ପଡ଼ିବା ଯୋଗୁଁ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଆହତ ଶ୍ରମିକଙ୍କୁ ନରସରାଓପେଟ୍ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ୪ ଜଣ ଶ୍ରମିକ ଓ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ୨ ଜଣ ଶ୍ରମିକ ରହିଛନ୍ତି । ଦୁର୍ଘଟଣା ଘଟଣା ଜଣାପଡିବା ମାତ୍ରେ ବାପତଲା ଜିଲ୍ଲା କଲେକ୍ଟର ଭେଙ୍କଟ ମୁରଲୀ ଏବଂ ଏସପି ତୁଷାର ଡୁଡି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ବାଲିକୁରାବା ପୋଲିସ ଏବଂ ରାଜସ୍ୱ ଅଧିକାରୀମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଖଣି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।


ତେବେ ମୃତକ ମାନେ ହେଲେ ଗଞ୍ଜାମ ଜିଲ୍ଲାର ଦଣ୍ଡ ବଡ଼ତ୍ୟା , ବନମାଳ ଚେହ୍ରା, ଭାସ୍କର ବିଶୋଇ, ସନ୍ତୋଷ ଗୌଡ଼ ଏବଂ ଗଜପତି ଜିଲ୍ଲାର ଟକୁନ ଦଳାଇ ଓ ମୁସା ଜାନ ବୋଲି ଜଣାପଡିଛି l

ତେବେ ଗଭୀର ଦୁଃଖପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏବଂ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ମୃତକଙ୍କ ପରିବାର କାନ୍ଦ ବୋବାଳି ଭିତରେ ଫାଟି ପଡୁଥିବାବେଳେ ଅଞ୍ଚଳରେ ଶୋକାକୁକ ପରିବେଶ ସୃଷ୍ଟି ହୋଇଛି l ଦେଖାଯାଉ ରାଜ୍ୟ ସରକାରଙ୍କ ଅନାଦର ଏବଂ ଅଣଦେଖା ପାଇଁ ବାହାର ରାଜ୍ୟ କୁ ଯାଇ ଦାଦନ ଖଟି ଗୁଜୁରାଣ ମେଣ୍ଟାଇବାକୁ ଯାଇ ଆଉ କେତେ ଜଣ ଏଭଳି ଅଘଟଣର ଶିକାର ହେଉଛନ୍ତୁ...

State

ଆଜିଠୁ ପ୍ରବଳ ବର୍ଷିବ

Blog Thumbnail

ଦ କୁଇଭର ବ୍ୟୁରୋ :- ଓଡ଼ିଶାକୁ ପ୍ରବଳ ବର୍ଷା ଚେତାବନୀ । ଆଜି ଠାରୁ ବର୍ଷାର ପରିମାଣ ବଢ଼ିବ । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିବ । ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି । ବାୟୁ ମଣ୍ଡଳରେ ଥିବା ଜଳୀୟବାଷ୍ପର ପରିମାଣକୁ ନେଇ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ଆଜି ବର୍ଷା ସହ ପ୍ରବଳ ବଜ୍ରପାତ ପାଇଁ ୨୩ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଜିଲ୍ଲାଗୁଡ଼ିକ ହେଉଛି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନିଗିରି, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ । ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୩୦-୪୦ କିମି ରହିବାର ସମ୍ଭାବନା ରହିଛି ।

State

ସ୍ୱଳ୍ପ ବର୍ଷାରେ ବେହାଲ ବ୍ରହ୍ମପୁର

Blog Thumbnail

ଦ କୁଇଭର ବ୍ୟୁରୋ:- ଲଗାଣ ବର୍ଷା ହେଉ କିମ୍ବା ଅଦିନିଆ ବର୍ଷା, ସ୍ୱଳ୍ପ ବର୍ଷା ମଧ୍ୟରେ ବେହାଲ ହୋଇଯାଏ ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ସହର l ଅଳ୍ପ ବର୍ଷାରେ ଖୁଦ୍ର ବନ୍ୟା ସୃଷ୍ଟି ହୁଏ ବ୍ରହ୍ମପୁର ସହରରେ l ତଳଠୁ ତଳିପା ସବୁଠି ପାଣି l ଯେକୌଣସି କାର୍ଯ୍ୟାଳୟ ଗୃହ ହେଉ କିମ୍ବା ମେଡିକାଲ ଅଥବା ବିଏମସି କାର୍ଯ୍ୟାଳୟ ସବୁଠି, ସ୍ୱଳ୍ପ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ l ଲୋକଙ୍କ କାମ ହେବ କ'ଣ,କାଗଜ ପତ୍ର ପାଣିରେ ଭାସିବାରେ ଲାଗୁଛି l ରାସ୍ତାଘାଟ କଥା ତ ନ କହିବା ଭଲ l ଯେଉଁ ଆଡେ ଦେଖ ଆଣ୍ଠୁଏ ଆଣ୍ଠୁଏ ପାଣି l ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେଉଛି, ବାଧାପ୍ରାପ୍ତ ହେଉଛି ଅନେକ କାର୍ଯ୍ୟଳୟ କାମ.. ଆଉ ସବୁଠୁ ଠପ ହୋଉଛି ମେଡିକାଲ ସ୍ଥାନ l ରୋଗୀ,ଡାକ୍ତର ଦେଖେଇବେ କ'ଣ,ବର୍ଷା ପାଣି ଦେଖି ଛାନିଆ ହୋଉଛନ୍ତି l ସହରରେ ଅନେକ ସାହିରେ ଥିବା ଘର ଗୁଡିକରେ ତ ବର୍ଷା ପାଣି ପଶି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ l


ଏସବୁର ସମାଧାନ କେବେ ହେବ ? କେବେ ସହରର ଡ୍ରେନେଜ ସିଷ୍ଟମ ସୁଧୁରିବ ? କେବେ ସିଂହାସନ ହାତେଇଥିବା ବଡ଼ ବାବୁଙ୍କ ନିଦ ଭାଙ୍ଗିବ ? ଏମିତି ପ୍ରଶ୍ନ ଭିତରେ ଅଛନ୍ତି, ବ୍ରହ୍ମପୁର ବାସୀ, ଯେଉଁମାନେ ପ୍ରତିଦିନ ଏଭଳି ସମସ୍ୟା ଘେରାରେ ସମୟ କାଟୁଛନ୍ତି l ଦିନ ପରେ ଦିନ, ବର୍ଷେ ପରେ ବର୍ଷ ବିତିଚାଲିଛି l ୨୪ ବର୍ଷର ବିଜେଡି ସରକାର ଯାଇ ୧୩/୧୪ ମାସର ବିଜେପି ସରକାର ଆସିଲେଣି, ପୁରାତନ ପ୍ରଶାସନିକ ଅଧିକାରୀ ଯାଇ ନୂତନ ଅଧିକାରୀ ଆସିଲେଣି, କିନ୍ତୁ ମିଳୁଛି କେବଳ ପ୍ରତିଶୃତି, ଆଜି,ହେବ କାଲି କହି ବର୍ଷ ବର୍ଷ ଗଡି ଚାଲିଛି ସିନା କାର୍ଯ୍ୟ ଶୂନ l ଏବେ ମଧ୍ୟ ସହର ବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ,ସୁଧୀରିବ ତ ସହରର ଡ୍ରେନେଜ ସିଷ୍ଟମ ସମାଧାନ ହେବ ତ ଏ ଜଳ ବନ୍ଦୀ ସମସ୍ୟା ନା ଅଂଚଳବାସୀଙ୍କ ସ୍ବପ୍ନ ସ୍ୱପ୍ନରେ ରହିଯିବ,ମିଳିଥିବା ପ୍ରତିଶୃତି ପାଣିର ଗାର ହେଇଜିବନୀ ତ ! ଏସବୁ ସମସ୍ୟା ପ୍ରତି ପ୍ରଶାସନ ସଚେତନ ହେବା ପାଇଁ ଅନୁରୋଧ l

State

ପ୍ରେମିକ ବ୍ଲାକ୍‌ମେଲିଂ ସହିନପାରି ଜଳିଗଲେ ଯୁବତୀ

Blog Thumbnail

କେନ୍ଦ୍ରାପଡ଼ା( ଦ କୁଇଭର ):- ଘର ଭିତରେ ଜଳିଗଲେ ଯୁବତୀ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇଠାରେ ଘଟିଛି । ସୂଚନାନୁସାରେ କିରୋସିନ ଢାଳି ହୋଇ ଛାତ୍ରୀ ଜଣଙ୍କ ଜୀବନ ହାରିଛନ୍ତି । ତେବେ ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ ବୋଲି ଜଣା ପଡିଛି ।ସେ ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ଜୀବନ ହାରିବା ପାଇଁ କହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳି ନାହିଁ । କେହି ଜଣେ ତାଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି । ଘରେ କେହି ନଥିବା ସମୟରେ ଏହି ଘଟଣା ହୋଇଛି । ପ୍ରେମିକ ଜଣଙ୍କ ଛାତ୍ରୀଙ୍କ ଅଶ୍ଳୀଳ ଫୋଟ ଭାଇରାଲ କରିଥିବା ନେଇ ଅଭିଯୋଗ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏ ନେଇ ପୂର୍ବରୁ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଘଟଣା ଜଣାପଡିବା ପରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପୁଲିସ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

State

ବ୍ରହ୍ମପୁର ମହାନଗର ନିଗମ : କୋଠା ଅଛି,ସୁବିଧା ନାହିଁ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ) ;ବହୁ ବାସହୀନ ପରିବାର ପାଇଁ ମହାନଗର ନିଗମ ପକ୍ଷରୁ ରହିବା ନିମନ୍ତେ ସୁବିଧା ଯୋଗାଇ ଦିଆଯାଇଛି। କିନ୍ତୁ କିଛି ୱାର୍ଡର ବିଭିନ୍ନ ସ୍ଥାନରେ ବହୁତଳ ବିଶିଷ୍ଟ କୋଠା ନିର୍ମାଣ ହୋଇଛି।ଏହାକୁ ଯୋଗ୍ୟ ହିତାଧିକାରୀ ଚୟନ କରାଯାଇ ସେମାନଙ୍କ ମଧ୍ୟର ବଣ୍ଟନ ହୋଇଥିଲା। ମହାନଗର ନିଗମ ୦୪ ନଂ ୱାର୍ଡର ଅଟୋନଗର ନିକଟରେ ଥିବା ଆପାର୍ଟମେଣ୍ଟ ବାସିନ୍ଦା ଭୋଗୁଛନ୍ତି ଅନେକ ସମସ୍ୟା। ଗତତିନି ବର୍ଷ ହେବ ଏହି ଆପାର୍ଟମେଣ୍ଟରେ ୩ଗୋଟି ସେଡରେ ୭୦ ପରିବାର ରହୁଛନ୍ତି। ଏଠାରେ ୬ ଗୋଟି ସେଡ ରହିଥିବା ବେଳେ ଯଥା B,C ଏବଂ D ବିଲ୍ଡିଂରେ ଲୋକେ ରହିଆସିଛନ୍ତି।ପ୍ରଥମରୁ ରହିଛି ଜଳ ଯୋଗାଣ ସମସ୍ୟା ଯାହାକି ଦୀର୍ଘ ଦିନ ହେବ ଅଭିଯୋଗ ପରେ ମଧ୍ୟ ତାହା ସମାଧାନ ହେଉନାହିଁ, ମହା ନଗର ନିଗମ ଅଞ୍ଚଳରେ ପିଏଚଡି ପକ୍ଷରୁ ଦୈନିକ ଛଡ଼ା ଯାଉଥିବା ପାଣି ସଂରକ୍ଷଣ ବ୍ୟବସ୍ତାରେ ରହିଛି ତ୍ରୁଟି। ଏହା ସହ ଉପର ମହଲାରେ ରହୁଥିବା ଲୋକେ ପାଣି ନ ଆସିଲେ ଅଧିକ ହେଉଛି ସମସ୍ୟା।ସର୍ବଦା ମହାନଗର ନିଗମ ପରିମଳ ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ରଖିଥିବା ବେଳେ ଏଠାରେ କିନ୍ତୁ ତାହାର ବାଟବଣା ହେଉଥିବା ଦେଖା ଯାଉଛି। କୋଠାର ଚାରିପାଖେ ଡ୍ରେନେଜ୍ ବ୍ୟବସ୍ଥା ରହିଥିଲା ମଧ୍ୟ ସେଠାରୁ ଜଳ ନିଷ୍କାସନ ପ୍ରକ୍ରିୟା ଠପ ହୋଇଛି। କୋଠର ରକ୍ଷଣା ବେକ୍ଷଣ ପାଇଁ ଆର୍ଥିକ ଅନୁଦାନ ଅର୍ଥ ଠିକ୍ ବ୍ୟବହାର ହେଉନାହିଁ। ଯେପରିକି ବିଲ୍ଡିଂର ରଙ୍ଗମାରିବା ପାଇଁ ଠିକାସଂସ୍ଥା ପକ୍ଷରୁ କାମ ଚାଲିଥିଲେ ବି ସେଠାରେ ଅନିୟମିତତା ରହିଥିବା ଅଭିଯୋଗ ରହିଛି।ଏହାସହ ଠିକ ଭାବେ ଏଠାକୁ ଆବର୍ଜନା ନେବା ଗାଡି ନିୟମିତ ଆସୁନଥିବା ବାସିନ୍ଦା ପ୍ରତିକ୍ରିୟା ରଖିଛନ୍ତି। ଛୋଟ ପିଲାଙ୍କ ପାଇଁ ଏକ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରାଗଲେ ପରିବାର ଲୋକେ ଉପକୃତ ହୋଇପାରିବେ ବୋଲି ମଧ୍ୟ ମହିଳା କହିଛନ୍ତି।ସୋମବାର ଦିନ ସ୍ଥାନୀୟ ବାସିନ୍ଦା ସାମୁହିକ ଭାବରେ ଏହି ସମସ୍ତ ସମସ୍ୟା ନେଇ ମେୟରଙ୍କ ନିକଟରେ ଦ୍ବାରସ୍ଥ ହୋଈ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏହା ଗ୍ରହଣ ପରେ ମହାନଗର ନିଗମ ମେୟର, ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସମସ୍ତ ସମସ୍ୟାର ଖୁବ୍ କମ୍ ଦିନ ମଧ୍ୟରେ ସମସ୍ତ ବିଭାଗ ସହ ସମୀକ୍ଷା କରାଯାଇ ସମାଧାନ ହେବ ବୋଲି ମେୟର ସଂଘମିତ୍ରା ଦଳେଇ ପ୍ରତିକ୍ରିୟା ରଖିଛନ୍ତି।